ଭୁବନେଶ୍ଵର : ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣ ଖସିଥିବା ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ଲାଗୁ ନାହିଁ ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୬୭ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ, ଅନୁଗୁଳ, ବରଗଡ଼, କଟକ ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ,କଳାହାଣ୍ଡି, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର,ବୌଦ୍ଧ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ, ଦେବଗଡ଼, ଢ଼େଙ୍କାନଳ, ଯାଜପୁର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୩୧୬୭ ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।



