ଅନୁଗୋଳ :ଛାତ୍ର ଛାତ୍ରୀ ମାନଙ୍କୁ ଚାପ ମୁକ୍ତ ପରୀକ୍ଷା ପାଇଁ ଆଜି ସରକାରଙ୍କ ନିର୍ଦ୍ଧେଶ କ୍ରମେ ସାରା ରାଜ୍ୟରେ ହାଇସ୍କୁଲ ଗୁଡିକରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହେଉଛି। ଆଜି ଅନୁଗୋଳ ଜିଳାରେ ମଧ୍ୟ ୨୪୮ଟି ହାଇସ୍କୁଲରେ ଏଭଳି ବୈଠକ ଅନୁଷ୍ଠିତ ହୋଇଥିଲା। ସବୁ ସ୍କୁଲରେ ଶତାଧିକ ଅଭିଭାବକ ଯୋଗ ଦେଇ ଆଲୋଚନା କରିଥିଲେ। କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି ସ୍କୁଲ ଗୁଡିକ ବନ୍ଦ ରହିଥିଲା। ତେଣୁ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ପିଲାମାନେ କେମିତି ଚାପ ମୁକ୍ତ ହୋଇ ପରୀକ୍ଷା ଦେଇ ପାରିବେ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

ଚଳିତ ବର୍ଷ ୩୦ମାର୍କ କମ ପରୀକ୍ଷା କରାଯାଉଛି। ଆଉ ୮୦ମାର୍କ ପାଇଁ ୫୦ମାର୍କର ଅବଜେକ୍ଟିଭ ପ୍ରଶ୍ନ ଦିଆ ଯିବାର ବ୍ୟବସ୍ଥା କରାଯାଇଛି। ସ୍କୁଲରେ ଶିକ୍ଷକ ମାନେ ପିଲା ମାନଙ୍କୁ ସେହି ଅନୁସାରେ ଅଭ୍ୟାସ କରାଉଛନ୍ତି। ତେଣୁ ପିଲାମାନେ ଆଉ ପରୀକ୍ଷା ପାଇଁ ଭୟ କରୁ ନାହାନ୍ତି। ସବୁଠାରୁ ବଡ଼ କଥା ହେଉଛି ପିଲାମାନେ ଏଥର ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି। ତେଣୁ ନିଶ୍ଚିତ ଭାବେ ଚାପ ମୁକ୍ତ ହୋଇ ପିଲାମାନେ ପରୀକ୍ଷା ଦେଇ ପାରିବେ। ଏ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା।