ମନେ ପଡନ୍ତି ଖୋକା ଭାଇ ।

ଓଡ଼ିଆ ସଙ୍ଗୀତର ସେ ଥିଲେ କାଳଜୟୀ ସ୍ରଷ୍ଟା । ସେ ଆଉ କେହି ନୁହଁନ୍ତି, ଓଡିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ତଥା ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଆଜି ତାଙ୍କର ଜନ୍ମଦିନ । ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ସଙ୍ଗୀତ ଦୁନିଆର ଏକ ଅନୁଷ୍ଠାନ। ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ପରୀକ୍ଷାନିରୀକ୍ଷା । ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସ୍ରୋତାଙ୍କ ରୁଚିକୁ ବୁଝି ଅନେକ ମନଛୁଆ ଗୀତ ଭେଟି ଦେଇଛନ୍ତି ଅକ୍ଷୟ।

ଅକ୍ଷୟ ମହାନ୍ତି ଏକାଧାରରେ ଥିଲେ ଜଣେ କବି, ଗୀତିକାର ଗାଳ୍ପିକ, ସଙ୍ଗୀତକାର,ଗାୟକ ଓ ଅଭିନେତା ଜନମାନସରେ ସେ ଖୋକା ଭାଇ ନାଁରେ ପରିଚିତ । ୧୯୩୬ ମସିହା ଆଜିର ଦିନରେ ଅବିଭକ୍ତ କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଏବଂ ମା’ଙ୍କ ନାଁ ପୂଜା ସୁବର୍ଣ୍ଣ ମଞ୍ଜରୀ ଦେବୀ । ଷ୍ଟୁଆର୍ଡ ସାଇନ୍ସ କଲେଜରୁ ଆଇ.ଏସ.ସି ଏବଂ ରେଭେନ୍ସା କଲେଜରୁ ବିଏ ପାସ କରିଥିଲେ । କେବଳ ସେତିକି ନୁହେଁ, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି ଅକ୍ଷୟ। କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ଯୋଗ ଦେଇଥିଲେ ହେଲେ ସାତ ବର୍ଷ ପରେ ବାକିରି ଛାଡ଼ି ପୁରା ସମୟ ସଙ୍ଗୀତ ପାଇଁ ହିଁ ଦେଇଥିଲେ ।

ଖୋକା ଲାଭଙ୍କ ଗୀତ ସେତେବେଳେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା। ଖୋକା ଭାଇଙ୍କ ଲୋକପ୍ରିୟ ଗୀତ ତାଲିକାର ଖୁବ୍ ଲମ୍ବା । ତାଙ୍କର ଲୋକପ୍ରିୟ ଗୀତର କେତୋଟି ପାଖୁଡା ‘ରଜାଝିଅ ସାଙ୍ଗେ… ଯାଯାବର..’ ‘ଯା’ରେ ଭାସି ଭାସି ଯା, ‘ ‘ଗାଈଆଳ ଭାଇ ଗାଉଛି ଗୀତ…’, ‘ସ୍ମୃତି ତୁମେ ” ବୟସର କୃଷ୍ଣଚୁଡ଼ା… । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଅଲା, “ ମଲାଜହ୍ନ’ । ଖୋକା ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ନିତାଇ ପାଲିତ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ‘ କିଏ କାହାର’, ‘ ସଂସାର’, ‘ଯାଯାବର’, ‘ ସ୍ବପ୍ନ ସାଗର’ ପରି ଚଳଚ୍ଚିତ୍ରରୁ ଆରମ୍ଭ କରି ନିର୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପର୍ଯ୍ୟନ୍ତ ତାଙ୍କ ଗୀତ ଓ ସଙ୍ଗୀତ ଦର୍ଶକଙ୍କୁ କରିଥିଲା ମତୁଆଲା । କେବଳ ସଙ୍ଗୀତ ନୁହେଁ, ସେ ମଧ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକ ଥିଲେ । ସେ ମରଣୋତ୍ତର ଉତ୍କଳ ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୨ ମସିହା ନଭେମ୍ବର ୧୭ ତାରିଖରେ ଓଡ଼ିଆ ସଙ୍ଗୀତ ଜଗତର ଏହି ମୁକୁଟବିଦାନ ସମ୍ରାଟଙ୍କର ସ୍ବର ନିଗବୀ ଗଲା । ଆଜି ଖୋକା ଭାଇ ନାହାନ୍ତି ସତ ହେଲେ ତାଙ୍କର ସଙ୍ଗୀତ ଆଜି ବି ଅଗଣିତ ଓଡିଆଙ୍କ ହୃଦୟରେ ସାଇତି ରହିଛି ।

Leave a Reply

Your email address will not be published. Required fields are marked *