ସମ୍ଭାବିତ ବାତ୍ୟା ପାଇଁ ଜିଲ୍ଲାପାଳଙ୍କୁ ଏସଆରସି ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ଭୁବନେଶ୍ୱର: ଧୀରେ ଧୀରେ ଉପକୂଳ ଆଡକୁ ପାଖେଇ ଆସୁଛି ବାତ୍ୟା ‘ଜୱାଦ’ । ଡିସେମ୍ବର ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ୧୨ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେବ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ । ଏହା ପ୍ରଭାବରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟା ଜୱାଦ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନି ପାଣିପାଗ ବିଭାଗ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ବେଗ ଓ ଦିଗ ସ୍ପଷ୍ଟ ହେବ । ବାତ୍ୟା ଆସୁଥିବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି।

ଏସବୁ ଭିତରେ ଏସଆରସି ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ  ସତର୍କ ସୂଚନା ଜାରି କରିବା ସହ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ଜିରୋ କାଜୁଆଲିଟିର ମିଶନ ନେଇ କାମ କରୁଥିବା ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପୂରା ସ୍ଥିତି ଉପରେ କଡା ନଜର ରଖିଛନ୍ତି । ତଳିଆ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ସମ୍ଭାବନା ଥିବାରୁ ଏହା ଉପରେ  ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପରିପକ୍ୱ ଧାନ ଫସଲର ସମ୍ପୂର୍ଣ୍ଣ ଅମଳ କରି ନିଆଯିବା ସହିତ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ଚ‌ାଷୀଙ୍କୁ ପରାମର୍ଶ ଦିଆଯାଇଛି | ୩  ତାରିଖ ରାତିରୁ ସମୁଦ୍ର ଭୀଷଣ ଅଶାନ୍ତ ହେବାକୁ ଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *