ରାଜ୍ୟରେ ପୁଣି ବଢ଼ିଲା ଶୀତ ୧୦ଟି ସହରର ରାତ୍ରି ତାପମାତ୍ରା ୧୦ଡିଗ୍ରି ତଳେ …

ଭୁବନେଶ୍ବର:  ରାଜ୍ୟ ରେ ପୁଣି ଖସିଲା ପାରା,ପୁଣି ବଢ଼ିଲା ଶୀତ। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ି ଏବଂ ଫୁଲବାଣୀ ସବୁଠାରୁ ଥଣ୍ଡା ସହର। ଏହି ଦୁଇ ସହରରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା କେନ୍ଦୁଝର, ଭବାନୀପାଟଣା ଓ ସୋନପୁର ସହରରେ ୮ ଡିଗ୍ରି, ଝାରସୁଗୁଡ଼ାରେ ୮.୪ ଡିଗ୍ରି ଏବଂ କୋରାପୁଟରେ ୯ ଡିଗ୍ରି, ନୟାଗଡ଼, ବଲାଙ୍ଗୀର ଓ ଅନୁଗୁଳରେ ୯ ଡିଗ୍ରି ରାତ୍ରି ତାପମାତ୍ରା ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୩୧ ତାରିଖରୁ ରାତ୍ରି ତାପମାତ୍ରା ବଢ଼ିବ ଏବଂ ଶୀତ ଲହରି ଦୂର ହେବ।

Advertisement

ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏମିତି ସ୍ଥିତି ଜାରି ରହିବ ଓ ପ୍ରବଳ ଶୀତ ଅନୁଭୂତ ହେବ। ଏହାର ପରବର୍ତ୍ତୀ ୨ ଦିନରେ ପାରଦ ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଶୀତ ଲହର ପାଇଁ ୱାର୍ଣ୍ଣିଂ ଜାରି କରିବା ସହ କେନ୍ଦ୍ର ପକ୍ଷରୁ କିଛି ସତର୍କତାମୂଳକ ପରାମର୍ଶ ଦେଇଛି। ଏହି ଶୀତ ଲହର ପ୍ରବାହିତ ହେଉଥିବା ସମୟରେ ରାତି କିମ୍ବା ପାହାନ୍ତିଆ ସମୟରେ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି। ଶୀତବସ୍ତ୍ର ପରିଧାନ କରିବା, ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନ ପରିବର୍ତ୍ତେ ବନ୍ଦ କୋଠରିରେ ରଖିବା, ରାତି ସମୟରେ ଖୋଲା ଯାନରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *