ଭୁବନେଶ୍ବର : ଆସନ୍ତା ୭ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ଭୁବନେଶ୍ବର ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ ରୁ ଏହା ପୁଣି ଆରମ୍ଭ ହେବ। ଆଜି ଏନେଇ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ଏମ୍ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍ମିସନ ଏବଂ ଓଟି ଗୁଡ଼ିକ କାର୍ଯ୍ୟକାରୀ ହେବ। କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି।ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ କରିଥିବା ଟ୍ୱିଟ୍ରେ କୁହାଯାଇଛି ଯେ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି। ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା। ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଜାନୁଆରୀ ମାସରେ କରୋନା ସଂକ୍ରମଣ ବଢ଼ିବା ସହ ଭୁବନେଶ୍ବର ଏମ୍ସର ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୩୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ। ଯାହା ପରେ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ଓପିଡି ସେବାକୁ ବନ୍ଦ କରି ଦେଇଥିଲେ। ତେବେ ଜରୁରିକାଳୀନ ସେବା ଜାରି ରହିଥିଲା। ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା ଜାରି ରହିଥିଲା।