ଭୁବନେଶ୍ବରରେ ପହଞ୍ଚିଲେ ୭୭ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରରେ ଏୟାରପୋର୍ଟରେ ପହଞ୍ଚିଛନ୍ତି ୭୭ ଜଣ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ ।ଛାତ୍ରଛାତ୍ରୀମାନେ ସୁରକ୍ଷିତ ଓଡ଼ିଶାରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତ ହୋଇଛନ୍ତି । ଓଡିଶା ଫେରିଆସିଥିବା ଛାତ୍ରଛାତ୍ରୀ ମାନଙ୍କ ପରିବାରର ଏହି ଆନନ୍ଦମୟ ମୁହୂର୍ତ୍ତରେ ବିମାନବନ୍ଦରରେ ସେମାନଙ୍କ ସହ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୦୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ଯୁଦ୍ଧ ଅଞ୍ଚଳରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଅଶ୍ରୁ । ହୃଦୟରେ ଆସିଥିଲା ଆଶ୍ବସ୍ତି । ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନେ ଆଗକୁ ଯେପରି ପାଠ ପଢିପାରିବେ, ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ ।ଡାକ୍ତରୀ ପାଠ ପଢାରେ କିଛି ବ୍ୟାଘାତ ହେବନି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତମେ ମାନେ ଘରେ ରୁହ ପାଠ ପଢା କଥା ମୁଁ ବୁଝିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୁଦ୍ଧ କ୍ଷେତ୍ରର ଭୟ ଓ ଆତଙ୍କର ତିକ୍ତ ଅନୁଭୂତିକୁ ବଖାଣିଥିଲେ ଛାତ୍ରଛାତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେମାନେ ଜୀବନ ଧରି ଫେରିଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *