୨୫ ପରେ ଆହୁରି ବଢିବ ତାତି,୪୫ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ବର : ମାର୍ଚ୍ଚ ୨୫ ତାରିଖ ପରେ ଓଡ଼ିଶାରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍ ଛୁଇଁବ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱଭାବିକ ଠାରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳବର୍ତୀ ଅଂଚଳରେ ୩୮ ରୁ ୪୦ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିପାରେ ତାପାମାତ୍ରା।

Advertisement

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ଗରମ ବାୟୁ ସହ ମିଶି ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସହ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ବର୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ ରୁ ୪୧ ଡିଗ୍ରୀ ମଧ୍ୟରେ ଓ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ୩୬ ରୁ ୩୭ ଡିଗ୍ରୀ ତାପମାତ୍ରା ରହୁଛି ଓ ଏହା ମାର୍ଚ୍ଚ ୨୫ ତାରିଖ ଯାଏଁ ଜାରି ରହିବ । ତେବେ ଉତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଗରମ ପବନ ଦୃଢ଼ୀଭୂତ ହୋଇ ରାଜ୍ୟ ଆଡକୁ ମୁହାଁଉଥିବାରୁ ଏହି ସମୟରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ଯଥାକ୍ରମେ ୪୦ ଡିଗ୍ରୀ ଏବଂ ୪୫ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଇତିମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଡିପ୍ ଡିପ୍ରେସନ୍ ମଙ୍ଗଳବାର ମ୍ୟାଁମାର ଉପକୂଳ ଅତିକ୍ରମ କରିଥିବା ବେଳେ କେନ୍ଦ୍ର ଭାରତ ଉପରେ ଅବସ୍ଥିତ ଅପର୍ ଏୟାର ଟ୍ରଫ ପୂର୍ବ ଦିଗ ଆଡ଼କୁ ଗତି କରି ମାର୍ଚ୍ଚ ୨୬ ସୁଦ୍ଧା ଉତର ପୂର୍ବ ଭାରତ ଓ ଉତର ବଙ୍ଗୋପସାଗର ଉପରେ ପହଂଚିବାର ସମ୍ଭାବନା ରହିଛି । ମଙ୍ଗଳବାର ରୁ ଗୁରୁବାର ମଧ୍ୟରେ ଗଜପତି, ଗଞ୍ଜାମ, ନୟାଗଡ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *