ଅନୁଗୋଳ : ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି। ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ ସୂଚନା ମୁତାବକ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପୂର୍ବ ନିର୍ବାଚନ ଠାରୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିଛି । ଅର୍ଥାତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୫୦ ପ୍ରତିଶତ ମତଦାନ ଗ୍ରହଣ କରାଯାଇଅଛି । ସେପଟେ ଇଭିଏମ ତ୍ରୁଟି ପାଇଁ କେଉଁଠି ବି ନିର୍ବାଚନ ବନ୍ଦ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।


ସେହିପରି ଅନୁଗୋଳ ଜିଲ୍ଲାରେ ଆଜି ଦୁଇଟି ପୌରାଞ୍ଚଳ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ବୁଥରୁ ପୁଲିଙ୍ଗ ପାର୍ଟି ଫେରି ନିର୍ଦ୍ଧାରିତ ସ୍ଥାନକୁ ଆସିଛନ୍ତି । ଅନୁଗୋଳ ପୌରପାଳିକାର ସରକାରୀ ମହାବିଦ୍ୟାଳୟରେ ଇଭିଏମ ରଖିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଥିବାରୁ ସେଠାକୁ ସବୁ ଇଭିଏମ ସୁରକ୍ଷିତ ଭାବେ ଅଣା ଯାଇଛି। ସେହିପରି ତାଳଚେର ପୌରପରିଷଦ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଘରେ ଇଭିଏମ ରଖାଯିବା ଏବଂ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି। ସେଠାରେ ସମସ୍ତ ପୁଲିଙ୍ଗ ପାର୍ଟି ପହଞ୍ଚି ନିଜ ନିଜ ଦାୟିତ୍ୱରେ ଥିବା ଇଭିଏମ ଗୁଡିକୁ ଜମା ଦେଇଛନ୍ତି। ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଠମଲ୍ଲିକ କଲେଜ ଭିତରେ ଇଭିଏମ ରଖାଯିବା ଓ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ କୌଣସି ସ୍ଥାନରେ କିଛି ଅପ୍ରୀତିକର ସ୍ଥିତି ଉପୁଜି ନାହିଁ । ଜିଲ୍ଲାର ଅନୁଗୋଳରେ ଶତକଡା ୬୪.୩୨, ଆଠମଲ୍ଲିକରେ ଶତକଡା ୮୦.୫୫ ଏବଂ ତାଳଚେରରେ ଶତକଡା ୭୩.୬୮ ଭାଗ ମତ୍ତଦାନ ହୋଇଥିବା ଜଣା ପଡ଼ିଛି।


