ଶିକାରୀ ଫାଶରେ ପଡିଲା ବାଘ, ୧୦ ଘଣ୍ଟା ପରେ ଉଦ୍ଧାରକଲା ବନ ବିଭାଗ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ ନିକଟରେ ଶିକାରୀ ଫାସରେ ପଡିଥିବା ଏକ କଲରାପତାରିଆ ବାଘକୁ ଉଧାର କରି ଜଙ୍ଗଲରେ ଛାଡି ଦିଆଯାଇଛି। ଦୀର୍ଘ ୧୦/୧୨ଘଣ୍ଟା ପରେ ବାଘକୁ ଅକ୍ଷତ ଭାବେ ଉଦ୍ଧାର କରି ହାତିବାରି ଜଙ୍ଗଲରେ ଛଡା ଯାଇଛି। ତେବେ ଗାଁ ନିକଟରେ ବାଘ ଯୋଗୁ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି।

ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ ଠାରୁ ଅତି ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ବୁଦୁବୁଡୁକିଆ ଜଙ୍ଗଲ ଭିତରେ ଫାସରେ ପଡି ଛଟପଟ ହେଉଥିଲା କଲରାପତାରିଆ ବାଘ। ବଡ଼ି ଭୋର ସମୟରେ ଗାଁର କିଛି ଯୁବକ ବୁଲାବୁଲି କରୁଥିବା ବେଳେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସାତକୋଶିଆ ଡିଏଫଓ, ଏସିଏଫ, ରେଞ୍ଜ ଅଫିସର ଓ ଅନ୍ୟାନ୍ୟ ବନ କର୍ମଚାରୀ ପହଞ୍ଚି ତଦାରଖ କରିଥିଲେ। ସାତକୋଶିଆ ପଶୁ ଡାକ୍ତର ସମ୍ବଲପୁର ହାତୀ ଚିକିତ୍ସା ପାଇଁ ଯାଇଥିବାରୁ ସେ ଆସିବା ବିଳମ୍ବ ହୋଇଥିଲା। ଫଳରେ ଦୀର୍ଘ ୧୦/୧୨ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା।

ବାଘଟି ଫସି ରହିଥିବା ସ୍ଥାନ ଚାରିପଟେ ଜାଲ ଲଗା ଯାଇଥିଲା। କୌଣସି ବାହାର ଲୋକଙ୍କୁ ସେ ସ୍ଥାନକୁ ଛଡା ଯାଇ ନଥିଲା। ବାଘଟିର ଆଗ ଗୋଡ଼ରେ ଲୁହା ତାରରେ ଲଗା ଯାଇଥିବା ଫାସ ଲାଗି ଯାଇଥିଲା। ତେଣୁ ସେ ଛଟପଟ ହେଉଥିଲା। ତା ଉପରେ ପାଣି ସିଞ୍ଚନ କରା ଯାଇଥିଲା। ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଡାକ୍ତର କିଶୋର ସାହୁ ପହଞ୍ଚିବା ପରେ ଟ୍ରଙ୍କୁଳାଇଜ କରିଥିଲେ। ଏହାପରେ ଫାସକୁ କଟା ଯାଇଥିଲା। ସବୁଠାରୁ ବଡ଼ କଥା ବାଘର କୌଣସି କ୍ଷତ ନଥିଲା। ବାଘଟି ଏକ ମାଈ ବାଘୁଣୀ ଏବଂ ତା ବୟସ ପ୍ରାୟ ୩ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ବାଘର ପ୍ରାଥମିକ ଚିକିତ୍ସା ପରେ ବାଘକୁ ପଞ୍ଜୁରୀ ଭିତରେ ନେଇ ଅଭୟାରଣ୍ୟ ଭିତରେ ହାତିବାରି ଜଙ୍ଗଲରେ ଛଡା ଯାଇଥିଲା।

Leave a Reply

Your email address will not be published. Required fields are marked *