ଶ୍ରୀଲିଙ୍ଗରାଜଙ୍କୁ ଜଳାଭିଷେକ କଲେ ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିବା ସୂଚନା ରହିଛି।ଏହାପରେ ଶ୍ରୀ ଶାହ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରେ ସେ ପ୍ରାୟ ୨୦ ମିନିଟ୍ ଅତିବାହିତ କରିଥିଲେ । ଏହାପରେ ମନ୍ଦିରର ଦଶନ‌ାର୍ଥୀ ଖାତାରେ ସ୍ବାକ୍ଷର କରି ମନ୍ଦିରରୁ ବାହାରିଥିଲେ।  ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥି‌ଲେ। ଗୃହ ମନ୍ତ୍ରୀ ହେବା ପରେ ଅମିତ ଶାହ ପ୍ରଥମ ଥର ଲାଗି ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୫ ଓ ୨୦୧୭ରେ ଭୁବନେଶ୍ବର ଗସ୍ତରେ ଆସିଥିବା ସମୟରେ  ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଥିଲେ।

ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇ ଏବଂ ସେଠାରେ ଚା ଓ ଜଳପାନ କରିଛନ୍ତି। ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ବର ବାସଭବନରେ ଶ୍ରୀ ଶାହା ପହଞ୍ଚିବା ପରେ ତାଙ୍କୁ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଏଠାରେ ମଧ୍ୟ ରାଜ୍ୟ ବିଜେପିର ବହୁ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଥିଲେ।

Leave a Reply

Your email address will not be published. Required fields are marked *