ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ସ୍ଥାନାନ୍ତରରେ ପାତର ଅନ୍ତର: କ୍ଷତିପୂରଣରୁ ବଞ୍ଚିତ ୨୦ ପରିବାରଙ୍କ ଆମରଣ ଅନଶନ

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରୁ କଟରଙ୍ଗ ଗାଁ ସ୍ଥାନାନ୍ତରରେ ପାତର-ଅନ୍ତର ଘଟଣାରେ ୨୦ ପରିବାର କ୍ଷତିପୂରଣରୁ ବଞ୍ଚିତ ହୋଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓଙ୍କ ଅଫିସ ସମ୍ମୁଖରେ କରିଛନ୍ତି ଆମରଣ ଅନଶନ । ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ୟାକେଜ ନମିଳିବା ଯାଏଁ ସେମାନେ ସେଠାରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାନୁସାରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ପୂର୍ବପୁରୁଷରୁ କଟରଙ୍ଗ ଗ୍ରାମବାସୀ ରହି ଆସୁଥିଲେ । ଗାଁର ୧୪୯ ପରିବାର ୪ଟି ସାହିରେ ବସବାସ କରୁଥିଲେ । ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁର ସମସ୍ତ ପରିବାରକୁ ବିଭାଗ ପକ୍ଷରୁ ନିକଟରେ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ସରକାରୀ ନିୟମ ଅନୁସାରେ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। କିନ୍ତୁ ଗ୍ରାମର ୨୦ ପରିବାରକୁ ଏହି କ୍ଷତିପୂରଣ ମିଳିନାହିଁ । କ୍ଷତିପୂରଣରୁ ବଞ୍ଚିତ ଥିବା ୨୦ ପରିବାର ଲୋକଙ୍କର ଘର, ଅର୍ଦ୍ଧଭଗ୍ନ ଘର, ଜମିବାଡି, ଘରଡିହ, ଗଛ, କୂଅ ଆଦି ସ୍ଥାବର ସଂପତ୍ତି କଟରଙ୍ଗ ଗ୍ରାମରେ ଥିବାବେଳେ ସେମାନଙ୍କର ଭୋଟ୍ ପରିଚୟ ପତ୍ର, ଆଧାରକାର୍ଡ, ରେସନ୍ କାର୍ଡ, ଜବ୍ କାର୍ଡ ଅନ୍ୟାନ୍ୟ ସରକାରୀ ପ୍ରମାଣ ପତ୍ର କଟରଙ୍ଗ ଗ୍ରାମରେ ରହିଅଛି। ତେବେ ସେମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବା ନେଇ ଜିଲ୍ଲା ପ୍ରଶାସନ ସହ ବନ ବିଭାଗକୁ ଲିଖିତ ଅଭିଯୋଗ କରିବା ପରେ ସେମାନଙ୍କୁ କ୍ଷତିପୂରଣ ରାଶି ଏପର୍ଯ୍ୟନ୍ତ ମିଳିଲା ନାହିଁ। ଫଳରେ କ୍ଷତିପୁରଣରୁ ବଞ୍ଚିତ ୨୦ ପରିବାର ଆଜି ସାତକୋଶିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *