ଅନୁଗୋଳ: ଅନୁଗୋଳ ଜିଲ୍ଲା ସାତକୋସିଆ ବନ୍ୟପ୍ରାଣୀ ବନଖଣ୍ଡର ଜଗନ୍ନାଥପୁର ଆମ୍ବବଗିଚାରେ ଦନ୍ତାହାତୀର ମୃତ୍ୟୁ। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁ ନିକଟକୁ ଆସୁଥିବା ସମୟରେ ଏଭଳି ଘଟଣା ଘଟିଛି।
ସୂଚନାନୁସାରେ ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଯାଇଥିଲା। ଦନ୍ତା ହାତୀଟି ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଥିବା ଜଣାପଡ଼ିଛି। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି। ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସାତକୋସିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ କାଟି ହାତୀଟିକୁ ଉଦ୍ଧାର କରିଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।