ଜବତ ର ୮ ବର୍ଷ ପରେ ପୋଡ଼ାହେଲା ଗଞ୍ଜେଇ

ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଜଳଗଲା ଗଞ୍ଜେଇ। ଗଞ୍ଜେଇକୁ ନ‌ଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେବା ପରେ ଏହାକୁ ସୁରକ୍ଷିତ ଭାବେ ଜାଳି ନଷ୍ଠ କରିଛି ପୋଲିସ । ଅନୁଗୋଳ ଏସ୍‌ପି ଜଗ‌ମୋହନ ମୀନା ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଉପସ୍ଥିତିରେ ଏହି ଗଞ୍ଜେଇକୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଜାଳି ଦିଆଯାଇଛି।

 ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଏହାକୁ ଜାଳି ଦିଆଯାଇଥିବା ଜଣାପଡ଼ିଛି।ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ ଆଗରୁ ଚୋରା ଗଞ୍ଜେଇ କାରବାରର ହବ୍‌ ପାଲଟି ଥିଲା। ଏଠାରୁ ପ୍ରତିଦିନ ଗଞ୍ଜେଇ ଚାଲାଣ ହେବା ସହ ମାଫିଆମାନେ ବିଭିନ୍ନ ସ୍ଥାନରେ ‌ଗଞ୍ଜେଇ ମହଜୁଦ ରଖୁଥିଲେ। ତେଣୁ ଏମାନଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ ଜୋରଦାର ଧରପଗଡ଼ କରିଥିଲା। ‌୨୦୧୪ରେ ଏଠାରୁ ଚାଲାଣ ହେଉଥିବା ୫ କୁଇଣ୍ଟାଲ ୮୪ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିନେଇ ଛେଣ୍ଡିପଦା ଥାନା ପୁଲିସ ୬୨/୧୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଦିନଠାରୁ ଏହି ଗଞ୍ଜେଇ ଛେଣ୍ଡିପଦା ଥାନାର ମାଲ୍‌ଖାନାରେ ରଖାଯାଇଥିଲା।

ଗଞ୍ଜେଇକୁ ନ‌ଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲାବେଳେ ଏହାକୁ ସୁରକ୍ଷିତ ଭାବେ ଜାଳି ଦିଆଯାଇଛି। ବସ୍ତା ବସ୍ତା ଗଂଜେଇକୁ ନିଆଁ ଭିତରକୁ ଫିଙ୍ଗି ଦିଆଯାଇଥିଲା , ସୂଚନା ଅନୁସାରେ, ଏହି ଗଞ୍ଜେଇକୁ ବାହାରେ ଜାଳିଲେ ଧୂଆଁ ବାହାରିବା ସହ ପ୍ରଦୂଷଣର ଆଶଙ୍କା ରହିଥିଲା। ଏପରିକି ଏହା ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ତେଣୁ ସ୍ମେଲଟର ପ୍ଲାଣ୍ଟରେ ଏହାକୁ ପୋଡ଼ା ଯାଇଥିଲା।

Leave a Reply

Your email address will not be published. Required fields are marked *