ମେଲାଣି ନେଲେ ମା’ ଗଜଲକ୍ଷ୍ମୀ, ପାରମ୍ପରିକ ବାଦ୍ୟରେ ଦୁଲୁକିଲା ଅନୁଗୋଳ ସହର

ଅନୁଗୋଳ: କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଭଷାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟଯନ୍ତ୍ରରେ ପୂଜାପ୍ରତିଷ୍ଠାନର କର୍ମକର୍ତ୍ତାଙ୍କ ନାଚଗୀତ ଓ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷର କରାଯାଇ ଥିବା ବେଳେ ଅନୁଗୋଳ ସହର ଦୁଲୁକି ଉଠିଛି । ମା’ ଗଜଲକ୍ଷ୍ମୀଙ୍କୁ ମେଲାଣି ଦେଇ ସହରବାସୀ ରାସ୍ତା ପାଶ୍ୱର୍ରେ ଛିଡା ହୋଇ ଭଷାଣି ଉତ୍ସବକୁ ଉପଭୋଗ କରିଛନ୍ତି ।

ଏଥର ସହରରେ ୨୯ଟି ମଣ୍ଡପରେ ଆଡମ୍ବର ସହକାରେ ପୂଜାର୍ଚ୍ଚନା ଚାଲିଥିଲା। ବୁଧବାର ସନ୍ଧ୍ୟାରେ ମାଙ୍କୁ ବିଦାୟ ଦିଆ ଯାଇଛି। ୧୨ଟି ମଣ୍ଡପର କର୍ମକର୍ତା ସୁସଜ୍ଵତ ମେଢ଼ରେ ଏକା ସମୟରେ ବାହାରି ଥାନା ଛକ ଠାରେ ଏକତ୍ରିତ ହୋଇଥିଲେ। କେନ୍ଦ୍ରୀୟ ପୂଜକମିଟି ସଭାପତି ତଥା ଅନୁଗୋଳ ପୌରପାଳିକା ଅଧକ୍ଷ ଅକ୍ଷୟ ସାମନ୍ତ ଓ ଅନ୍ୟ ଅତିଥି ମାନେ  ସବୁଜ ପତାକା ଦେଖାଇ ଶୋଭାଯାତ୍ରା ଥାନା ଛକଠାରେ ଆରମ୍ଭ କରିଥିଲେ । ସେଠାରୁ ବାଜା ବାଜଣା, ରଙ୍ଗ ବେରଙ୍ଗ ଆଲୋକ, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ମାଙ୍କୁ ସହର ପରିକ୍ରମା କରା ଯାଇଥିଲା। ସହର ପରିକ୍ରମା ପରେ ନିର୍ଦ୍ଧାରିତ ସ୍ଥାନରେ ମାଙ୍କୁ ବିସର୍ଜନ କରା ଯାଇଥିଲା।

ଏଥର ଭଷାଣ ଉତ୍ସବକୁ ନିରାଡ଼ମ୍ବର କରାଯାଇଥିଲା। କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତିରେ କୌଣସି ପ୍ରକାର ଡିଜେ ବଜା ଯାଇ ନଥିଲା।  ବାଣ ଫୁଟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆ ଯାଇଥିଲା। କେବଳ ପାରମ୍ପରିକ ଦଣ୍ଡ ନୃତ୍ୟ, ଲଉଡି ଖେଳ, ବାଘ ନାଚ, ଢୋଲ ବାଦ୍ୟ ଓ ଲୋକ ନୃତ୍ୟ କୁ ସାମିଲ କରା ଯାଇଥିଲା। ବିଭିନ୍ନ ପ୍ରକାର ଆଧୁନିକ ରଙ୍ଗ ବେରଙ୍ଗ ଆଲୋକକୁ ଗୁରୁତ୍ୱ ଦିଆ ଯାଇଥିଲା। ତଥାପି ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ ଅନୁଗୋଳ ସହର ଝଲସି ଉଠିଥିଲା। ବାଜା ବଜଣାରେ କମ୍ପି ଉଠିଥିଲା। ଭାଷାଣି ଉତ୍ସବରେ ଢେଙ୍କାନାଳ ଏମପି ମହେଶ ସାହୁ ଯୋଗ ଦେଇଥିଲେ। ତାଙ୍କୁ କେନ୍ଦ୍ରୀୟ ପୂଜା କମିଟି ତରଫରୁ ସ୍ୱାଗତ କରା ଯାଇଥିଲା। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କର ଯାଇଥିଲା। ତେବେ ଶାନ୍ତି ଶୃଙ୍ଖଳାର ସହ ଭାଷଣ ଉତ୍ସବ ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *