ଅନୁଗୋଳ: ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ତୃତୀୟ ଦିନରେ ଦୁଇଟି ସେମି ଫାଇନାଲ ମ୍ୟାଚ୍ ଅନୁଗୋଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।







ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁମ୍ବାଇର ଫୁଟବଲ ଟିମ୍ କେନକ୍ରେ ଏଫସିକୁ ସାମ୍ନା କରିଥିଲା ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି । ମ୍ୟାଚଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସଂପୂର୍ଣ୍ଣ ୯୦ ମିନିଟରେ ସ୍କୋର ୧-୫ ରହିଥିଲା । ଏହି ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସର ଅବୁଲାଏ ସାନେ ହିରୋ ଅଫ୍ ଦ ମ୍ୟାଚ୍ ଭାବେ ୨୦ ହଜାର ଟଙ୍କାର ଚେକ ଏବଂ ଟ୍ରଫି ପାଇଥିଲେ ।







ସେହିଭଳି ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ତେଲେଙ୍ଗାନାର ଶ୍ରୀନିଦି ଡେକାନ ଏଫସି ଓ ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ଼ ଏଫସି ମଧ୍ୟରେ ରୋମାଞ୍ଚକର ମ୍ୟାଚ ହୋଇଥିଲା ଏଥ୍ରେ ଶ୍ରୀନିଦି ଡେକାନ କୌଣସି ଗୋଲ କରିପାରିନଥିବା ବେଳେ ରାଜସ୍ଥାନ ୟୁନାଇଟେଡ଼ ଏଫସି ୩ଟି ଗୋଲ କରି ଫାଇନାଲ ପାଇଁ ନିଜର ସ୍ଥାନ ନିଶ୍ଚିତ କରିଥିଲା । ଏହି ମ୍ୟାଚରେ ବିଜୟୀ ଦଳର ଅଧ୍ଵନାୟକ ମାର୍ଟିନ ହିରୋ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ ।







ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥ୍ ଭାବେ କେଉଁଝର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝି ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ସଭାପତି କଲ୍ୟାଣ ଚୌବେ ଯୋଗଦେଇଥିଲେ । ସେହିପରି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥ୍ ଭାବେ ବ୍ରହ୍ମଗିରି ବିଧାୟକ ଏବଂ ଭାରତର ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ ପୂର୍ବରୁ ଆସନ୍ତାକାଲି ଓଡ଼ିଶା ୧୧ ଏବଂ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟରେ ତାଳଚେରରେ ଏକ ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।