ପ୍ରଜାପିତା ବ୍ରହ୍ମା କୁମାରୀ ଓଡିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଧର୍ମେନ୍ଦ୍ର: ମାତୃଭାଷାରେ ପଢିଲେ ପିଲାଙ୍କ ଜ୍ଞାନର ଅଭ୍ୟୁଦୋୟ ଘଟିବ

ଅନୁଗୋଳ: ମାତୃଭାଷାରେ ପିଲାମାନେ ପାଠ ପଢିଲେ ପାଠ ବୁଝିବାରେ ସହଜ ହେବ । ପାଠକୁ ଭଲ ଭାବରେ ବୁଝିଲେ ହିଁ ପିଲା ମାନଙ୍କ ମଧ୍ୟରେ ଥିବା ଜ୍ଞାନର ଅଭ୍ୟୁଦୋୟ ଘଟିବ ବୋଲି ରବିବାର ଅନୁଗୋଳ ସହରର ସଭାଘର ଠାରେ ଆୟୋଜିତ ‘ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisement

ଆଧ୍ୟାତ୍ମିକ ଶିକ୍ଷାଦାନର ଅନ୍ୟତମ ଅନୁଷ୍ଠାନ ରାଜ୍ୟରେ ଦୀର୍ଘ ୫୦ ବର୍ଷର ଯାତ୍ରା ପୂରଣ କରିବା ଅବସରରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନିକଟରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରମକମଳରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକର ଉନ୍ମୋଚନ ହୋଇଛି । ମାତ୍ର ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆରେ ପଢିଲେ ଚାକିରି ମିଳିବ କି ନାହିଁ, ତାହାକୁ ନେଇ ବିତର୍କ ହେଉଛି । ସେ କହିଛନ୍ତି ଯେ ପାଠକୁ ନମ୍ବର ଆଧାରିତ କିମ୍ବା ମୁଖସ୍ତ କରିବା ନୁହେଁ ବରଂ ମାତୃଭାଷା ମାଧ୍ୟମରେ ପାଠକୁ ବୁଝାଇବାର ଦାୟିତ୍ୱ ରହିଛି । ପାଠ ବୁଝିଲେ ହିଁ ପିଲାଙ୍କ ମଧ୍ୟରେ ଜ୍ଞାନର ଅଭ୍ୟୁଦୋୟ ଘଟିବ । ମାତୃଭାଷାରେ ପାଠ ପଢିଲେ, ପାଠ ବୁଝିବାରେ ସହଜ ହେବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି ।

ଏକ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶିକ୍ଷାକୁ ବିଶ୍ଲେଷଣ କରିବାର ଦୁଇଟି କଥା ଅଛି । ଗୋଟିଏ ଉପକରଣ ଏବଂ ଅନ୍ୟଟି କରଣ ।  ଉପକରଣ ହେଉଛି ଏକ ମାଧ୍ୟମ ଏବଂ କରଣ ହେଉଛି ସଂସ୍କାର । ଶାନ୍ତି ହେଉଛି ଗୋଟିଏ କରଣ । ସେହିପରି ଓମ୍ ଶାନ୍ତି ମନକୁ ସ୍ଥିର ରଖିବାରେ ଗୋଟିଏ ପ୍ରଭାବଶାଳୀ କରଣ । କରଣ ହେଲେ ପିଲା ଭଲ ମଣିଷ ହେବ । ଭଲ ସଂସ୍କାର ଶିଖିବ । ସମଗ୍ର ଭାରତବର୍ଷର ଲୋକମାନେ ଉପକରଣକୁ ଛାଡି କରଣକୁ ଧରିଲେ ହିଁ ସମାଜ ମଜଭୂତ୍ ହେବ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ସେ ଯେଉଁ ସଭାଘରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ସେହି ସଭାଘରରେ ଅନେକ ଅନେକ ସ୍ମୃତି ରହିଛି । ଏହି ସଭାଘର ଅନୁଗୋଳ ଜିଲ୍ଲାର ଜନପ୍ରତିନିଧି ଭାବେ ଆରମ୍ଭ ହୋଇଥିବା ରାଜନୈତିକ ଯାତ୍ରା ସଂସଦ ପର୍ଯ୍ୟନ୍ତ ପହଞ୍ଚିପାରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ମା’ ହିଙ୍ଗୁଳା, ମା’ ବୁଢି ଠାକୁରାଣୀ ଓ ଜନଆଶୀର୍ବାଦ ବଳରେ ଆଜି ଏହି ଦାୟିତ୍ୱରେ ଅଛି ।

ସମାଜ ଭିତରେ ମୂଲ୍ୟବୋଧ, ଭାଇଚାରା, ଶିକ୍ଷାର ମୂଳ ତତ୍ତ୍ୱକୁ ବ୍ୟାପକ କରିବାରେ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର କାମ ପ୍ରଶଂସନୀୟ । ମୂଳରୁ ଏହି ଅନୁଷ୍ଠାନ ଦେଉଥିବା ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ରୂପାନ୍ତରିତ କରାଯାଇଛି । ସମାଜର ବସ୍ତୁବାଦୀ ସଭ୍ୟତାରେ ମଣିଷକୁ ଜୀବନର ମୂଳ ଉଦ୍ଦେଶ୍ୟ ବୁଝାଇବାରେ ଏହି ଅନୁଷ୍ଠାନ ନିରନ୍ତର କାର୍ଯ୍ୟ କରି ଚାଲିଛି । ଏହି ମର୍ମରେ ସମସ୍ତେ ସାମୂହିକ ଭାବରେ ଦେଶକୁ ମଜଭୂତ୍ କରିବା ବୋଲି କହିବା ସହ କେନ୍ଦ୍ର ଆଗାମୀ ଦିନରେ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *