ଏବେ କାର୍ଯ୍ୟକ୍ଷମ ହେବନି ତାଳଚେର ମେଡିକାଲ କଲେଜ

ଅନୁଗୋଳ : ତାଳଚେରରେ ନିର୍ମାଣ ସରିଥିବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)ର ଏବେ କାର୍ଯ୍ୟକ୍ଷମ ହେବାର ନାହିଁ । ବିଧାନ ସଭାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପଚାରିଥିବା ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ରମେଶ ଙ୍କ ପ୍ରଶ୍ନରେ ନବ କହିଛନ୍ତି ମେଡିକାଲ କଲେଜକୁ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖାଯାଇଛି । ବିଧାନ ସଭାରେ ଏଭଳି ଉତ୍ତର ଆସିବା ପରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମରିଛି ଜିଲ୍ଲା ବାସୀଙ୍କ ମନରେ ।

ତାଳଚେର ରେ ଏହି ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍ ମଧ୍ୟରେ ବୁଝାମଣାପତ୍ର MOU ସ୍ବାକ୍ଷରିତ ହୋଇଥିଲା। ଏହାକୁ ତାଳଚେର ନେହରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବା ପାଇଁ ନିଷ୍ପତ୍ତି ହେବାପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ପରେ ୨୦୧୬ରେ ମେଡିକାଲ କଲେଜ କୋଠା ନିର୍ମାଣ ଆରମ୍ଭ ହେବାସହ ୨୦୧୮ରେ ଶେଷ ହୋଇଥିଲା।

୨୦୧୯-୨୦ ବର୍ଷରୁ ଏହି ମେଡିକାଲ କଲେଜରେ ପାଠପଢ଼ା ସହ ଚିକିତ୍ସା ସେବା ଆରମ୍ଭ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ, ବିଭିନ୍ନ କାରଣରୁ ଏହା ଅଟକି ରହିଛି। ଚଳିତବର୍ଷ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିଲାବେଳେ କେନ୍ଦୁଝର ମେଡିକା୍ଲ କଲେଜରେ ୧୦୦ ଏମ୍‌ବିଏସ୍ ଆସନରେ ନାମଲେଖା ପାଇଁ ତିନିମାସ ତଳେ ଅନୁମୋଦନ ଆସିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ଏଠାରେ ପାଠ ପଢ଼ା ଆରମ୍ଭ ହେବ। ହେଲେ ଏହା ଆଗରୁ ଭିତ୍ତି ପଡ଼ିଥିବା ତାଳଚେରସ୍ଥିତ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ମିମ୍‌ସାର)କୁ ନେଇ ଦେଖା ଦେଇଛି ଅନିଶ୍ଚିତତା ।

Leave a Reply

Your email address will not be published. Required fields are marked *