ରାଜ୍ୟ ରେକୋଭିଡ୍‌ ଚିକିତ୍ସା ରେ ଘରୋଇ ହସ୍‌ପିଟାଲ ଖର୍ଚ୍ଚ ୪୮୦ କୋଟି,ତଥ୍ୟ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଘରୋଇ କୋଭିଡ଼ ହସ୍ପିଟାଲ ଓ ଏହାର ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ସରକାରଙ୍କୁ ୪୭୯ କୋଟି ୯୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବହନ କରିବାକୁ ପଡ଼ିବ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କା ଘରୋଇ ହସ୍ପିଟାଲ ଗୁଡିକୁ ଦିଆଯାଇଛି। ତେବେ କେବଳ ୩୩ଟି ଘରୋଇ ହସ୍ପିଟାଲକୁ ଏହି ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ସବୁଠାରୁ ବଡ଼କଥା ହେଲା ବଲାଙ୍ଗୀର ଜିଲାବାସୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭିଡ଼ ହସ୍ପିଟାଲକୁ କୌଣସି ଟଙ୍କାଟିଏ ଦିଆଯାଇନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଦର୍ଶାଇଛନ୍ତି।ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଏହି ସୂଚନା ଦେଇଛନ୍ତି ।

କୋଭିଡ଼ ପରିଚାଳନା ପାଇଁ ସର୍ବାଧିକ ୩୮ କୋଟି ୪୦ ଲକ୍ଷ ଟଙ୍କା ଖୋର୍ଦ୍ଧା ଜିଲାର ଘରୋଇ ହସ୍ପିଟାଲ କିମ୍ସ ହସ୍ପିଟାଲକୁ ଦିଆଯାଇଥିବା ବେଳେ ଏହାପଛକୁ ରହିଛି ସମ୍ ହସ୍ପିଟାଲର ୨୮କୋଟି, ଯାଜପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ୨୪ କୋଟି ଏବଂ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲକୁ ୨୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଇଛି। ମୋଟ ୫୯ କୋଟି ୪୧ ଲକ୍ଷ ଟଙ୍କା ଭୁବନେଶ୍ୱର କିମ୍ସ ଖର୍ଚ୍ଚ କରିଥିବା ଦର୍ଶାଇଥିବା ବେଳେ ଏଯାଏଁ ଦିଆଯାଇଛି ୩୮.୪୦ କୋଟି ଟଙ୍କା। ସେହିପରି ଭୁବନେଶ୍ୱର ସମ୍ ହସ୍ପିଟାଲ୍ ୫୮ କୋଟି ୫୯ ଲକ୍ଷ ଟଙ୍କା ଦାବି କରିଥିବାବେଳେ କଟକ ଅଶ୍ୱିନୀ ହସ୍ପିଟାଲ୍ ବିଲ୍ ୩୨ କୋଟି ୩୫ ଲକ୍ଷ ହୋଇଥିବା ଜଣାପଡିଛି।
ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଫେବୃଆରୀ ୧୩ ସୁଦ୍ଧା ୮୦ଲକ୍ଷ ୨୩ହଜାର ୯୭୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରେ ୧୬.୯୭ଲକ୍ଷରୁ ଊର୍ଦ୍ଧ୍ବ ଆରଟିପିସିଆର ପରୀକ୍ଷା ରହିଥିବାବେଳେ ୬୨ଲକ୍ଷ ୯୯ହଜାର ୭୧୬ ଆଣ୍ଟିଜେନ୍ ଟେଷ୍ଟ ରହିଛି। ସେହିପରି ୩ଲକ୍ଷ ୩୬ହଜାର ୧୭୪ ସଂକ୍ରମିତଙ୍କ ମଧ୍ୟରୁ ୩ଲକ୍ଷ ୩୩ ହଜାର ୪୫୧ ଆକ୍ରାନ୍ତ ଉକ୍ତ ଅବଧି ମଧ୍ୟରେ ସୁସ୍ଥ ହୋଇ ଫେରିଛନ୍ତି।

Leave a Reply

Your email address will not be published. Required fields are marked *