ଭୁବନେଶ୍ୱର : ଓଡ଼ିଶାର ଯୁବକ ଯୁବତୀମାନେ ଡ୍ରୋନ୍ ପରିଚାଳନାରେ ଦକ୍ଷତା ହାସଲ କରିବେ। ପରିବର୍ତ୍ତିତ ସମୟରେ ଏହା ସେମାନଙ୍କୁ ରୋଜଗାରକ୍ଷମ କରିବ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି। ଏଥିପାଇଁ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡିଏଫ୍ଆଇ)ର ସହାୟତା ନିଆଯିବ। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଯୋଜନା ଓ ସଂଯୋଜନ, ଅର୍ଥ ବିଭାଗ, ବୈଦ୍ୟୁତିକ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଯୁବକ ଯୁବତୀମାନଙ୍କୁ ସରକାର ଡ୍ରୋନ୍ ପରିଚାଳନା, ରକ୍ଷଣାବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଦେବେ। ଏଥିପାଇଁ ରାଜ୍ୟରେ ଏକ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା କରାଯିବ। ଢ଼େଙ୍କାନାଳ ବୀରସାଲରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଏରୋସ୍ପେଶ୍ ଏକାଡେମୀରେ ଏହି ସ୍କୁଲ ଖୋଲିବା ସମ୍ଭାବନା ଅଛି। ତେବେ ଏହାର ପରିଚାଳନା, ପାଠ୍ୟକ୍ରମ, ପ୍ରଶିକ୍ଷଣ ଆଦି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରାଯିବ। ଏଥିପାଇଁ ପରିବହନ ବିଭାଗ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସହାୟତା ନେବ। ଏନେଇ ଖୁବ୍ ଶୀଘ୍ର ବରିଷ୍ଠ ଅଧିକାରୀଙ୍କ ଦଳ ଡିଏଫ୍ଆଇ ମୁଖ୍ୟାଳୟ ଗସ୍ତ କରିବାର ସମ୍ଭାବନା ଅଛି। ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଏରୋସ୍ପେଶ୍ ଏକାଡେମୀରେ ବିମାନ ଚାଳନା ସହିତ ବୈଷୟିକ ତାଲିମ୍ ପ୍ରଦାନ ଯୋଜନା ଅଛି। ଏଥିରେ ଡ୍ରୋନ୍ ପ୍ରଶିକ୍ଷଣ ସାମିଲ ହେବ vବିଭିନ୍ନ କ୍ଷେତ୍ର ପରି ଡ୍ରୋନ୍ ଟେକ୍ନୋଲୋଜି ବହୁଳ ପ୍ରସାରିତ ହେଉଛି। ମନୋରଞ୍ଜନ ଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ଗବେଷଣା, ସହରାଞ୍ଚଳ ପରିମଳ, ଖଣି ପରିଚାଳନା, ଟ୍ରାଫିକ୍ ପରିଚାଳନା, ଅପରାଧ ନିୟନ୍ତ୍ରଣ ଭଳି ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରକଳ୍ପରେ ଡ୍ରୋନର ବ୍ୟବହାର ହେଉଛି। ନୂଆ ଜ୍ଞାନକୌଶଳ ଜୀବନଶୈଳୀ ଓ କାର୍ଯ୍ୟକୁ ସହଜ କରୁଥିବା ବେଳେ ଏଥିରେ ଡ୍ରୋନ୍ର ପ୍ରମୁଖ ଭୂମିକା ରହିଛି। ଡ୍ରୋନ୍ର ବର୍ଦ୍ଧିତ ଉପଯୋଗ ଏବଂ ଏହି କ୍ଷେତ୍ରରେ ସନ୍ନିହିତ ସମ୍ଭାବନାକୁ ଉଜାଗର କରିବା ପାଇଁ ରାଜ୍ୟ ସରାକାର ପଦକ୍ଷେପ ନେଉଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଆଇଟିଆଇରେ ଡ୍ରୋନ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।