ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ

ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି । ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା ସେବା ଓ ସମର୍ପଣର ବାର୍ତ୍ତାକୁ ଦଳୀୟ ସଂଗଠନର ମିଳିତ ଶକ୍ତି ମାଧ୍ୟମରେ ଅନୁଗୋଳ ସମେତ ଓଡ଼ିଶାର ଘରେ ଘରେ ପହଞ୍ଚାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଦୀର୍ଘ ୨୩ ବର୍ଷର ଅବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂରଣ ହେବା ଅବସରରେ ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦି ଙ୍କ ପାଇଁ ଭାରତ ବିଶ୍ୱର ନେତା ହେବା ପାଇଁ ଯାଉଛି । ଭାରତର ଶକ୍ତିଶାଳୀ ନେତୃତ୍ୱ ପାଇଁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଆଦର ଓ ସମ୍ମାନ ଜଣାଯାଉଛି । ଏହି ସମ୍ମାନ ପ୍ରତି ଭାରତୀୟଙ୍କ ପ୍ରତି ସମ୍ମାନ । ତାଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାର ଲାଭ ଓଡ଼ିଶା ଓ ଅନୁଗୋଳ ହୋଇଛି ।  ଅନୁଗୋଳରେ ମୋଦିଜୀ ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ପ୍ରାୟ  ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି ।

ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅନୁଗୋଳ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି । ଆବାସ ଗ୍ରାମୀଣ ଯୋଜନାରେ ୭୨୯ କୋଟି ଟଙ୍କାର ୬୦ ହଜାର ୭୩୪ ଘର ଦିଆଯାଇଛି । ଆବାସ ସହର ଯୋଜନାରେ  ୧୭୮ କୋଟି ଟଙ୍କାର  ୫ ହଜାର ୬୭୦ ଘର ଦିଆଯାଇଛି । ୨୫.୮୨ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୬୧ ହଜାର ୪୩୬ ହିତାଧିକାରୀଙ୍କୁ ଉଜ୍ଜଳା ଗ୍ୟାସ ବିତରଣ କରାଯାଇଛି ।ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଡିରେ ଅନୁଗୋଳରେ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ଅର୍ଥ ଦେଇଛନ୍ତି । ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମ ହୋଇଛି । ଆଜି ତାଳଚେର-ଅନୁଗୋଳର ନୂଆ ଲୁପ୍ ଲାଇନ, ଅନୁଗୋଳ-ସୁକିନ୍ଦା ରେଳ ଲାଇନ, ତାଳଚେର-ନିର୍ଗୁଣ୍ଡିର ଇଲେକ୍ଟ୍ରିଫିକେସନ ସହ ରାସ୍ତା ଘାଟର ଉନ୍ନତି ଭଳି କାମ ଆଜି ଅନୁଗୋଳ ଜିଲ୍ଲାରେ ହେଉଛି ।

ମୋଦି ସରକାର କୋଟି କୋଟି ଟଙ୍କାର ଦାୟିତ୍ୱ ନେବା ପରେ ମଧ୍ୟ ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଗରିବ କଲ୍ୟାଣ ଯୋଜନା ଠିକ୍ ଭାବରେ କ୍ରିୟାନ୍ୱୟନ ହେଉନାହିଁ । ଗରିବ ଓ ପଛୁଆ ବର୍ଗର ଲୋକଙ୍କ ପାରଶ୍ରମିକ ଟଙ୍କାକୁ ହରିଲୁଟ କରାଯାଉଛି । ଓଡ଼ିଶାର କୋଇଲାରେ ଭାରତ ଆଲୋକିତ ହେଉଥିବା ବେଳେ ଓଡ଼ିଶାରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଜାଣିଶୁଣି ତାଳଚେରରେ ନିର୍ମିତ ମେଡିକାଲ କଲେଜ ପରିଚାଳନାର ଦାୟିତ୍ୱ ରାଜ୍ୟ ସରକାର ନେଉନାହାନ୍ତି । ଏହା ବିରୋଧରେ ବ୍ୟାପକ ଜନଆନ୍ଦୋଳନ କରିବା ପାଇଁ ସଂଯୁକ୍ତ ମୋର୍ଚ୍ଚା ତଥା ମହିଳା ମୋର୍ଚ୍ଚା , ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ମୋର୍ଚ୍ଚାର ମଣ୍ଡଳ ସ୍ତରର କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ  ଦେଇଛନ୍ତି ।ଏନେଇ ଦଳ ପକ୍ଷରୁ ଜାରି ଏକ ପ୍ରେସ ଇସ୍ଥହାର ରେ ସୂଚନା ଦିଆଯାଇଛି

Leave a Reply

Your email address will not be published. Required fields are marked *