ସରିଲା ଆଡ଼ପ ଦର୍ଶନ,ବାହୁଡାଯାତ୍ରାରେ ଜନ୍ମବେଦିରୁ ରତ୍ନବେଦିକୁ ବାହୁଡିବେ ତିନି ଠାକୁର।  

ପୁରୀ: ଶରଧାବାଲିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ସାଧାରଣ ଭକ୍ତମାନେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଧାଡ଼ିରେ ରହି ଆଡ଼ପ ଦର୍ଶନ କରିଛନ୍ତି। ପବିତ୍ର ନବମୀ ତିଥିରେ ସନ୍ଧ୍ୟା ଦର୍ଶନ ‌ଶେଷ ହେଲା ପରେ ଶ୍ରୀଜିଉମାନଙ୍କର ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Advertisement

ଆଡ଼ପ ଅବଢ଼ା ରାତି ୧୨ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାରଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁ ଆସନ୍ତାକାଲି (ବୁଧବାର) ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥି ପାଇଁ ଶ୍ରୀକ୍ଷେତ୍ରରେ ପୁଣି ଥରେ ଭକ୍ତମାନଙ୍କର ଚଳଚଞ୍ଚଳ ଦେଖାଯାଇଛି। ବାହୁଡ଼ାଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତ ଏକତ୍ର ହେବେ। ପ୍ରବଳ ଜନଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଭକ୍ତମାନେ ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କରିଥିଲେ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଥିଲା ଶେଷ ଦର୍ଶନ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡ୍‌ କରାଯାଇଥିଲା।

Leave a Reply

Your email address will not be published. Required fields are marked *