୩ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ

ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ମହାମହିମ । ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଭୁବନେଶ୍ବର ମେୟର ସୁଲୋଚନା ଦାଶ ପ୍ରମୁଖ ସ୍ବାଗତ ଜଣାଇଛନ୍ତି।

ବିମାନବନ୍ଦରରେ ସ୍ବାଗତ ପରେ ରାଷ୍ଟ୍ରପତି ସ୍ବତନ୍ତ୍ର କାର୍‌କେଡ୍‌ରେ ରାଜଭବନକୁ ସିଧାସଳଖ ଯାଇଛନ୍ତି। ସେଠାରେ କିଛି ସମୟ ବିଶ୍ରାମ ପରେ ରାଷ୍ଟ୍ରପତି ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ। ରାଜଭବନରେ ହିଁ ସେ ରାତ୍ରି ଭୋଜନ କରିବାର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।ଆସନ୍ତାକାଲି କଟକରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସକାଳେ କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବେ। ଏହାପରେ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ଏଥି ସହିତ କାଲି କଟକରେ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ ରାଷ୍ଟ୍ରପତି । ଏଥିସହ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏଥିପାଇଁ ସଜେଇ ହୋଇଛି ପୁରା କଟକ ସହର। ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୬ ପ୍ଲାଟୁନ ପୁଲିସ ଫୋର୍ସ ସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିଛନ୍ତି । ସେହିଭଳି ୧୨ ଆଡିସିନାଲ ଡିସିପି, ୨୫ ଜଣ ଏସପି, ୪୦ ଜଣ ଇନସପେକ୍ଟର, ୧୨୦ ଜଣ ଏସଆଇ ଓ ଏଏସଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିଛନ୍ତି । ସେହିଭଳି ୧୬୦ ଟ୍ରାଫିକ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ସେହିଭଳି ସବୁ ଭେନ୍ୟୁରେ ପ୍ରୋଟକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାଯିବା ସହ ଏହାର ଯାଞ୍ଚ କରାଯାଇଛି । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡକ ପଥରେ ରହିଥିବାରୁ ସେହି ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *