‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା

ଭୁବନେଶ୍ୱର: ଏଣିକି ହାତପାଆନ୍ତାରେ ମିଳିବ ବ୍ୟାଙ୍କ ସେବା। ରାଜ୍ୟରେ ବ୍ୟାଙ୍କ ସେବାରୁ ବଞ୍ଚିତ ପଞ୍ଚାୟତରେ ଖୋଲିବ ଆମ ବ୍ୟାଙ୍କ। ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇ ଦେବାକୁ ଆଜି ଐତିହାସିକ ‘ଆମ ବ୍ୟାଙ୍କ’ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗର ଉଦ୍ୟମରେ ଆମ ବ୍ୟାଙ୍କ ସେବା ମିଳିବ।ରାଜ୍ୟ ସରକାରଙ୍କ ଅର୍ଥ ଓ ପଞ୍ଚାୟତିରାଜ ବିଭାଗ ଏଥିପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ଓଡ଼ିଶାର ୪୩୭୩ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ‘ସିଏସ୍‌‌ପି ପ୍ଲସ୍‌‌’ ବ୍ୟାଙ୍କିଙ୍ଗ୍‌‌ ଆଉଟ୍‌‌ଲେଟ୍‌‌ ଖୋଲିବା ନେଇ ମିଳିଥିବା ମଞ୍ଜୁରୀ ଆଧାରରେ ଗତିଶୀଳ ହୋଇଛି ‘ଆମ ବ୍ୟାଙ୍କ’ ଖୋଲାଯିବା କାର୍ଯ୍ୟକ୍ରମ। ଏଥିପାଇଁ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୁଡିକୁ ଗୃହ ଯୋଗାଇ ଦେବେ। ଏଥିସହ ଓଡ଼ିଶା ସରକାର ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ବିଶେଷକରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ନିଜ ଘର ପାଖରେ ବ୍ୟାଙ୍କ ସେବା ପାଇବାକୁ ସକ୍ଷମ ହେବେବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସିଏସ୍‌‌ପି ପ୍ଲସ୍‌‌ ଆଉଟ୍‌‌ଲେଟ୍‌‌ ମାଧ୍ୟମରେ ରାଜ୍ୟ ସରକାର ବ୍ୟାଙ୍କ ସେବା ଯୋଗାଇ ଦେବେ। ଅର୍ଥ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ନିଜ ମଧ୍ୟରେ ସମନ୍ୱୟ ରଖି ମିଳିତ ଭାବରେ ଏଥିପାଇଁ କାର୍ଯ୍ୟ କରିବେ। ଏ ନେଇ ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟ ରଖିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୫୦% ପଞ୍ଚାୟତରେ ବ୍ୟାଙ୍କ ଖୋଲିବ ବୋଲି ସୂଚନା ମିଳିଛି। ଏଥିନିମନ୍ତେ ଭାରତୀୟ ଷ୍ଟେଟ୍‌‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ୍‌‌ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌‌ ବରୋଦା ଏବଂ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆ ଆଦି ୬ଟି ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତି ଆରମ୍ଭ ପାଇଁ କୁହାଯାଇଛି। ଅର୍ଥ ବିଭାଗ ବ୍ୟାଙ୍କ ଖୋଲିବା ନିମନ୍ତେ ସହାୟତା ଯୋଗାଇ ଦେବ ଏବଂ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପ୍ରଶାସନ ସହାୟତାରେ ବ୍ୟାଙ୍କ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବ।ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓଡ଼ିଶା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଅଧିକାଂଶ ଅଞ୍ଚଳରେ ବ୍ୟାଙ୍କ ନ ଥିବାରୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହାସଲରେ ବାଧା ସୃଷ୍ଟି ହୋଇଛି। ବ୍ୟାଙ୍କ ଗୁଡିକ ଦ୍ୱାରା ବ୍ୟାଙ୍କବିହୀନ ପଞ୍ଚାୟତରେ ସ୍ଥାୟୀ ଶାଖା ସ୍ଥାପନ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ରହିଛି। ଓଡ଼ିଶାରେ ପ୍ରାୟ ୬୫% ପଞ୍ଚାୟତରେ ବ୍ୟାଙ୍କ ସେବା ଏବେ ବି ଅପହଞ୍ଚ ହୋଇ ରହିଛି। ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ବ୍ୟାଙ୍କ ସେବା ନଥିବା ୪୩୭୩ ପଞ୍ଚାୟତରେ ବ୍ୟାଙ୍କ ନାହିଁ।

Leave a Reply

Your email address will not be published. Required fields are marked *