ଦୁଇ ହଜାରରୁ ଅଧିକ ମୂଲ୍ୟର ଅନ୍‌ଲାଇନ୍‌ ପେମେଣ୍ଟରେ ନୂଆ ନିୟମ,ଟଙ୍କା ସ୍ଥାନାନ୍ତର ପାଇଁ ଅପେକ୍ଷା ସମୟ ୪ ଘଣ୍ଟା

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ହେଉଥିବା ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଦୁଇ ଜଣଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ପ୍ରଥମ ଥର କାରବାର ପାଇଁ ସର୍ବନିମ୍ନ ସମୟ ସୀମା ସ୍ଥିର କରିବାକୁ ସରକାର ବିଚାର କରୁଛନ୍ତି। ଏଥିରେ ଯଦି ଦୁଇ ଜଣ ପ୍ରଥମ ଥର ପରସ୍ପର ସହିତ ଡିଜିଟାଲ୍ କାରବାର କରୁଛନ୍ତି, ତେବେ ସେମାନଙ୍କୁ ପେମେଣ୍ଟ ଗ୍ରହଣ କରିବାକୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ। ଯଦି ପେମେଣ୍ଟ ରାଶି ୨,୦୦୦ ଟଙ୍କା ରୁ ଅଧିକ ହୋଇଥାଏ ତେବେ ଏଥିନିମନ୍ତେ ଚାରି ଘଣ୍ଟା ଅପେକ୍ଷା କରିବାକୁ ପଡିବ। ଏହାର ଅର୍ଥ ହେଉଛି ଆପଣ ଚାରି ଘଣ୍ଟା ପାଇଁ ସେହି ବ୍ୟକ୍ତିଙ୍କୁ ୨,୦୦୦ରୁ ଅଧିକ ଟଙ୍କା ସ୍ଥାନାନ୍ତର କରିପାରିବେ ନାହିଁ। ଏହା ସାଇବର ଠକେଇକୁ ହ୍ରାସ କରିବ ବୋଲି କୁହାଯାଉଛି। ତୁରନ୍ତ ପେମେଣ୍ଟ ସେବା (ଆଇଏମ୍‌ପିଏସ୍‌), ରିଅଲ୍ ଟାଇମ୍ ଗ୍ରସ୍ ସେଟଲେମେଣ୍ଟ (ଆର୍‌ଟିଜିଏସ୍‌) ଏବଂ ଏପରିକି ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ ଏହାର ଅଧୀନକୁ ଆସିପାରେ।

ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଆପଣ ବର୍ତ୍ତମାନ ଏକ ନୂତନ ୟୁପିଆଇ ଆଇଡି ସୃଷ୍ଟି କରଛନ୍ତି, ତେବେ ଆପଣ ପ୍ରଥମ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୦୦୦ ଟଙ୍କା ସ୍ଥାନାନ୍ତର କରିପାରିବେ। ନେଫ୍ଟ କ୍ଷେତ୍ରରେ, ପ୍ରଥମ ୨୪ ଘଣ୍ଟାରେ ସର୍ବାଧିକ ୫୦,୦୦୦ ଟଙ୍କା ପଠାଯାଇପାରିବେ। ଏହି ରାଶି ଗୋଟିଏ ଥର କିମ୍ବା ଏକାଧିକ କିସ୍ତିରେ ପଠାଯାଇପାରେ, କିନ୍ତୁ ଏହାଠାରୁ ଅଧିକ ପରିମାଣର ଅର୍ଥ ପଠାଯାଇପାରିବନାହିଁ। ନୂତନ ଯୋଜନା ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ୟୁପିଆଇ ମାଧ୍ୟମରେ କାହାକୁ ୨୦୦୦ ଟଙ୍କା ପଠାଉଛନ୍ତି, ତେବେ ଏହା ୪ ଘଣ୍ଟା ପରେ ତାଙ୍କ ଆକାଉଣ୍ଟରେ ପହଞ୍ଚିବ। ସରଳ ଭାଷାରେ କହିବାକୁ ଗଲେ ସରକାର ଏ କ୍ଷେତ୍ରରେ ଏକ ୪ ଘଣ୍ଟିଆ ୱିଣ୍ଡୋ ବ୍ୟବସ୍ଥା କରିଛନ୍ତି। ପ୍ରଥମ ଥର ପାଇଁ ୨୦୦୦ରୁ ଅଧିକ ଟଙ୍କା ସ୍ଥାନାନ୍ତର କରିଲେ ତାହା ତୁରନ୍ତ ରିସିଭର ଆକାଉଣ୍ଟକୁ ପଠାଯିବନାହିଁ। ଏଥିପାଇଁ ୪ ଘଣ୍ଟାର ବ୍ୟବଧାନ ସମୟ ଦିଆଯିବ। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ଏହା ବୋଧହୁଏ ଅନ୍ୟ ରିଅଲ୍ ଟାଇମ୍ ଟଙ୍କା ସ୍ଥାନାନ୍ତର ସେବା ଉପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ।

Leave a Reply

Your email address will not be published. Required fields are marked *