ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରି ଟେଷ୍ଟ ସିରିଜ୍ ଡ୍ର ରଖିଲା ଭାରତ

କେପଟାଉନ: କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ। ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ । ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ ।

ଆଜି ମ୍ୟାଚର ୨ୟ ଦିନରେ ଦକ୍ଷିଣ ଆଫ୍ରିକା ନିଜର ଗତ କାଲିର ସ୍କୋର ୬୨/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଇଡେନ ମାର୍କରାମ ଏକାକୀ ଭାରତୀୟ ବୋଲରଙ୍କ ସହ ଲଢେଇ କରି ଶତକ ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବେଶୀ ସମୟ ଛିଡ଼ା ହୋଇପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମୁକେଶ କୁମାର ୨ଟି ଓ୍ବିକେଟ ନେଇଥିଲେ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ୍ବିକେଟ ନେଇଥିଲେ । ଏହା ପରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୩ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ଭାରତ ୯୮ ରନରେ ଆଗୁଆ ରହିଥିଲା ।

Leave a Reply

Your email address will not be published. Required fields are marked *