ଶିମିଳିପାଳ ଅଭୟାରଣ୍ୟରେ ହେବ ପ୍ରଥମ କଳାବାଘ ସଫାରୀ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ। ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ। ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ। ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

Advertisement

ଗତ ନଭେମ୍ବର ମାସରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଜଙ୍ଗଲରେ କଳାବାଘ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍‌ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍‌ କୌଣସି ସ୍ପଷ୍ଟ କରି ନଥିଲେ।

Leave a Reply

Your email address will not be published. Required fields are marked *