ପିପିପି ମୋଡ୍‌‌ରେ ପ୍ରତିଷ୍ଠା ହେବ ୫ ଅତ୍ୟାଧୁନିକ ଡାକ୍ତରଖାନା

ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ୍‌‌ ନୀତି ଆଧାରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପକ୍ଷରୁ ପ୍ରଥମ ଥର ପାଇଁ ପିପିପି ମୋଡ୍‌‌ରେ ଅତ୍ୟାଧୁନିକ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ବଡ଼ବିଲ, ଅନୁଗୁଳ, ଭଦ୍ରକ, ଝାରସୁଗୁଡ଼ା ଓ ଗୋପାଳପୁରରେ ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ଏହି ଡାକ୍ତରଖାନାଗୁଡ଼ିକ ଆଗାମୀ ଦୁଇବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏଠାରେ ସବୁ ପ୍ରକାର ସେବା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଆଉ ବିଏସ୍‌‌କେୱାଇ ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ପୃକ୍ତ ଘରୋଇ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ସୂଚନା ଅନୁସାରେ ଭଦ୍ରକ ଓ ଝାରସୁଗୁଡ଼ାରେ ଡାକ୍ତରଖାନା ପ୍ରତିଷ୍ଠା ଓ ପରିଚାଳନା ପାଇଁ ଆରୋଗ୍ୟ କେୟାର ସଂସ୍ଥାକୁ ଦାୟିତ୍ୱ ଦିଆଯାଇ ଥିବା ବେଳେ ଗୋପାଳପୁରରେ ସମ୍‌‌ ହସ୍ପିଟାଲ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ। ସେହିପରି ବଡ଼ବିଲ୍‌‌ ଓ ଅନୁଗୁଳରେ ସିଲିକନ୍‌‌ ବିଶ୍ବବିଦ୍ୟାଳୟ ପିପିପି ମୋଡ୍‌‌ରେ ଡାକ୍ତରଖାନା ପ୍ରତିଷ୍ଠା କରିବ। ସେଠାରେ ରୋଗୀ ଏବଂ ସହାୟକଙ୍କୁ ବିନା ମୂଲ୍ୟରେ ଖାଦ୍ୟ ମିଳିବ। ବଡ଼ କଥା ହେଉଛି ସରକାରୀ ଓ ଘରୋଇ ସଂସ୍ଥା ଉଦ୍ୟମରେ ପ୍ରତିଷ୍ଠା ହେବାକୁ ଥିବା ଏହି ଡାକ୍ତରଖାନାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବା ସହ ରୋଗୀଙ୍କ ୱାର୍ଡ ଗୁଡ଼ିକ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା କରାଯିବ। ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ୱାର୍ଡରେ ଥିବା ଶଯ୍ୟାକୁ ଆଇସିୟୁ ଶଯ୍ୟାରେ ପରିଣତ କରାଯିବା ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ଅପରପକ୍ଷେ ସମ୍ପୃକ୍ତ ଡାକ୍ତରଖାନାଗୁଡିକ କଟକ ଓ ଭୁବନେଶ୍ୱରରେ ଏବଂ ରାଜ୍ୟ ବାହାରେ ଥିବା କିଛି ସୁପରସ୍ପେଶାଲିଟି ହସ୍ପିଟାଲ ସହିତ ଅନୁବନ୍ଧିତ ହେବେ। ଯଦ୍ଦ୍ୱାରା ଜରୁରୀ ପରିସ୍ଥିତିରେ ଅନୁବନ୍ଧିତ ଡାକ୍ତରଖାନାରେ ସୁପରସ୍ପେଶାଲିଟି ଡାକ୍ତର ଅନ୍‌‌ଲାଇନ୍‌‌ରେ ଡାକ୍ତରମାନଙ୍କୁ ଚିକିତ୍ସାରେ ସହାୟତା କରିପାରିବେ। ଆବଶ୍ୟକ ହେଲେ ରୋଗୀଙ୍କୁ ସମ୍ପୃକ୍ତ ଅନୁବନ୍ଧିତ ସୁପରସ୍ପେଶାଲିଟି ହସ୍ପିଟାଲକୁ ରେଫର କରାଯିବ। ଏହି ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ସହିତ ଶିକ୍ଷାଦାନ ତଥା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ହେବ। ସେଠାରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ ପାଠ୍ୟକ୍ରମ ପ୍ରଚଳନ କରାଯିବ।

Leave a Reply

Your email address will not be published. Required fields are marked *