ନୂଆଦିଲ୍ଲୀ : ଦେଶରେ ଏକକାଳୀନ ନିର୍ବାଚନ କରାଇବା ପ୍ରସଙ୍ଗରେ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ସରକାର ଗଠନ କରିଥିବା କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହାର ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ୧୮,୬୨୬ ପୃଷ୍ଠାର ପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବର ୨, ୨୦୨୩ରେ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନ ଧରି ଏହି କମିଟି ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଅନୁଧ୍ୟାନ କରିଥିଲା । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଗୋଟିଏ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ତେବେ ଏହି ରିପୋର୍ଟରେ କଣ ରହିଛି ତାହା ଜଣାପଡିନଥିଲେ ମଧ୍ୟ ଦେଶରେ ଏକକାଳୀନ ମତଦାନ ଆୟୋଜନ କରିବାକୁ ସାମର୍ଥ୍ୟ କରିବାକୁ ସମ୍ବିଧାନର ଶେଷ ପାଞ୍ଚଟି ଆର୍ଟିକିଲରେ ସଂଶୋଧନ କରିବାକୁ ପ୍ୟାନେଲ ସୁପାରିସ କରିଥାଇପାରେ ବୋଲି କୁହାଯାଉଛି। ପ୍ରସ୍ତାବିତ ରିପୋର୍ଟରେ ଲୋକସଭା, ରାଜ୍ୟ ସଭା, ପୌରପାଳିକା ଏବଂ ପଞ୍ଚାୟତକୁ ଏକକାଳୀନ ନିର୍ବାଚନ କରିବା ପାଇଁ ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡିଛି।ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତୃତ୍ୱରେ ଗଠିତ ଏହି କମିଟିରେ ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ, ଲୋକସଭାର ପୂର୍ବତନ ସଚିବ ସୁଭାଷ କାଶ୍ୟପ ଏବଂ ବରିଷ୍ଠ ଓକିଲ ହରିଶ ସାଲଭେ ଆଦି ସଦସ୍ୟ ଅଛନ୍ତି।