ଅନୁଗୋଳ- ବ୍ୟାଘ୍ରଶୂନ୍ୟ ବ୍ୟାଘ୍ର ପ୍ରକଳ୍ପ ସାତକୋଶିଆ ଅଭୟାରଣ୍ୟରୁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ କରାଯାଉଥିବା ବିସ୍ଥାପନ ବନ୍ଦ କରିବା, ହାତୀ ତଥା ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରୁ ·ଷଜମି ବାସଭୂମିର ସୁରକ୍ଷା ପାଇଁ କଂକ୍ରିଟ୍ ୱାଲ୍ ସହିତ ସୌର ତାରବାଡର ବ୍ୟବସ୍ଥା କରିବା, ବନ୍ୟଜନ୍ତୁଙ୍କ ଉପଦ୍ରବରେ କ୍ଷତିଗ୍ରସ୍ତଙ୍କୁ ସାତ ଦିନ ମଧ୍ୟରେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା, ସାତକୋଶିଆର ଜୈବ ବିବିଧତା, ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ପ୍ରଦାନ କରିବା, ଟିକରପଡାରୁ ବାଲିପୁଟ ଏବଂ ଟିକରପଡାରୁ ବିନିକେଇ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ସହିତ ଯିବଆସିବାରେ କଟକଣା ବନ୍ଦ କରିବା, ବାଲିପୁଟ ଠାରୁୁ ବିନିକେଇ ପର୍ଯ୍ୟନ୍ତ ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରାଇବା, ପରିବେଶ ବିକାଶ ସମିତି (ଇଡିସି)ରେ ଗଚ୍ଛିତ ଅର୍ଥକୁ ବିଭିନ୍ନ ଗ୍ରାମର ବିକାଶ କାର୍ଯ୍ୟରେ ଖର୍ଚ୍ଚ କରିବା, ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ମହାନଦୀରେ ମାଛ ଧରିବାର ମୌଳିକ ଅଧିକାର ସୁରକ୍ଷା କରିବା, ସାତକୋଶିଆ ଅଭୟାରଣ୍ୟର ସମସ୍ତ ଗାଁରେ ୨୪ଘଣ୍ଟିଆ ମୋବାଇଲ୍ ନେଟ୍ୱାର୍କର ସୁବ୍ୟବସ୍ଥା କରିବା ପ୍ରଭୃତି ୯ଦଫା ଦାବିରେ ଆଜି “”ଭିଟାମାଟି ଓ ଜୀବନଜୀବିକା ସୁରକ୍ଷା କମିଟି, ସାତକୋଶିଆ” ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ଗଣ ବିକ୍ଷୋଭ ପୂର୍ବରୁ ସାତକୋଶିଆ ଅଭୟାରଣ୍ୟସ୍ଥ ଟିକରପଡା ପଞ୍ଚାୟତର ଟିକରପଡା, କରଡାପଡା, ହାତୀବାରୀ, ଗଇଁନ୍ଦି, ବେହେରାସାହି, ମଝିପଡା, ରାମିମୁଣ୍ଡା ପ୍ରଭୃତି ଗ୍ରାମ ସମେତ ସାତକୋଶିଆ ଅଞ୍ଚଳରୁ ଆସିଥିବା ୫୦୦ରୁ ଉଦ୍ଧ୍ୱର୍ ପୁରୁଷ, ମହିଳା, ଛାତ୍ର, ଯୁବକ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରୁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଅନୁଗୋଳ ବଜାର, ପୁରୁଣା ବସ ଷ୍ଟାଣ୍ଡ, ଥାନାଛକଦେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ କମିଟିର ସଭାପତି ବିଦ୍ୟାଧର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ବିକ୍ଷୋଭ ସଭାରେ ଟିକରପଡାର ସରପଞ୍ଚ ସୌମ୍ୟରଞ୍ଜନ ସାହୁ, କମିଟିର ଉପସଭାପତି ତ୍ରିନାଥ ସାହୁ, ପ୍ରଫୁଲ୍ଲ ଦେହୁରୀ, ସମ୍ପାଦକ ଜୟରାମ ସାହୁ, ଫକୀର ଜାନି, ସୁବୋଧ ସାମଲ, ରବିନ୍ଦ୍ର ବାରିକ, କମିଟିର ଉପଦେଷ୍ଟା ତୀର୍ଥବାସୀ ଭୋଇ, ମାନସ ପାଳ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଆବାହକ ତଥା ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନ, ନବକିଶୋର ପ୍ରଧାନ, ତରୁଣ ଦେହୁରୀ, ନିରୋଦ ପାଳ, ତ୍ରିଲୋଚନ ଜେନା ପ୍ରମୁଖ ବକ୍ତବ୍ୟଦେଇ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ ନାଁରେ ସ୍ଥିତିବାନ ସମ୍ପତ୍ତିର ମାଲିକ ସ୍ଥାନୀୟ ଅଧିବାସୀ ମାନଙ୍କୁ ସାମାନ୍ୟ କିଛି କ୍ଷତିପୂରଣ (ମାତ୍ର ୨୦ଲକ୍ଷ ଟଙ୍କାଦେଇ) ଗ୍ରାମରୁ ଉଚ୍ଛେଦ କରିବା ଅତ୍ୟନ୍ତ ଅନ୍ୟାୟ, ଅମାନବିକ, ଅଯୌକ୍ତିକ, ଅସାମ୍ବିଧାନିକ ଏବଂ ସମ୍ପୂର୍ଣ୍ଣ ବେଆଇନ୍ ବୋଲି ପ୍ରକାଶ କରିଥିଲେ ।

ସ୍ୱେଚ୍ଛାକୃତ ସ୍ଥାନାନ୍ତରଣରେ ବିସ୍ଥାପନ ହେବାକୁ ·ହୁଁନଥିବା ସଂଖ୍ୟା ଗରିଷ୍ଠ ସ୍ଥାନୀୟ ଅଧିବାସୀଙ୍କ ଶହ ଶହ ବର୍ଷର ଭିଟାମାଟି ଏବଂ ଜୀବନଜୀବିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ । ଗୋଟିଏ ପଟରେ ବନ ବିଭାଗ ବିସ୍ଥାପନ ନୁହେଁ ସ୍ୱେଚ୍ଛାକୃତ ସ୍ଥାନାନ୍ତରଣ କହୁଥିବାବେଳେ “ହାତରେ ନମାରି ଭାତରେ ମାରିବା’ ନ୍ୟାୟରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଟକଣା ଲାଗୁ କରି ଗ୍ରାମରୁ ବାହାରି ଯିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ସେଥିପାଇଁ ଲୋକମାନଙ୍କ ଜୀବନଜୀବିକାର ସୁରକ୍ଷା ପାଇଁ ହାତୀ ତଥା ବନ୍ୟଜନ୍ତୁଙ୍କ ଉପଦ୍ରବ ବନ୍ଦ ପାଇଁ ·ଷଜମି ଏବଂ ବାସଭୂମି ଚତୁଃପାଶ୍ୱର୍ରେ କଂକ୍ରିଟ ୱାଲ୍ ଓ ସୌରତାରବାଡ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରିକି ପ୍ରତ୍ୟେକ ଗ୍ରାମରେ ଗଠିତ ପରିବେଶ ସୁରକ୍ଷା ସମିତି (ଇଡିସି)ରେ ଗ୍ରାମର ବିକାଶ ପାଇଁ ଗଚ୍ଛିତ ଅର୍ଥ ଗ୍ରାମର ଉନ୍ନୟନ ପାଇଁ ଖର୍ଚ୍ଚ ନକରି ବର୍ଷ ବର୍ଷ ଧରି ବିକାଶମୂଳକ କାର୍ଯ୍ୟ ବନ୍ଦ କରିଦିଆଯାଇଛି । ସାତକୋଶିଆ ଅଭୟାରଣ୍ୟରେ ଗଣତାନ୍ତ୍ରିକ ସରକାରଙ୍କର କୌଣସି ଗଣତାନ୍ତ୍ରିକ ଆଇନ୍ କାନୁନ୍ କାମ ନକରି ଜଙ୍ଗଲ ବିଭାଗର ଜଙ୍ଗଲି ଶାସନ ·ଲିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଗଣ ବିକ୍ଷୋଭ ସ୍ଥଳରୁ ୧୦ଜଣିଆ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତି ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୯ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ଦାବି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।

କମିଟି ପକ୍ଷରୁ ଉପସ୍ଥାପିତ ନ୍ୟାୟସଙ୍ଗତ ଦାବି ଗୁଡିକ ଜିଲ୍ଲାପାଳଙ୍କୁ ଅବଗତ କରାଇ ବନ ବିଭାଗ ଉପସ୍ଥିତିରେ କମିଟି କର୍ମକର୍ତ୍ତାଙ୍କୁ ନେଇ ଏକ ତ୍ରିପାକ୍ଷୀକ ବୈଠକ ଜରିଆରେ ସମସ୍ୟାର ସମାଧାନ ପାଇଁ ସେ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଗଣ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ମୁତାବକ କମିଟି ପକ୍ଷରୁ ଉପସ୍ଥାପିତ ଦାବିଗୁଡିକ ସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆନେ୍ଦାଳନକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।