ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ-ସରକାରଙ୍କୁ ଟାର୍ଗେଟ


ଅନୁଗୋଳ : ବିଜୁ ଜନତା ଦଳର  ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଭାଘରଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମତ ରଖିଥିଲେ। ରାଜ୍ୟରେ ଏବେ ମହିଳା ଅସୁରକ୍ଷିତ ହୋଇ ପଡ଼ିଥିଲା ବେଳେ ଚାଷୀମାନେ ସେମାନଙ୍କ ହକ୍‌ ପାଉ ନାହାନ୍ତି। ରାଜ୍ୟରେ ଏକ ସରକାର ଚାଲୁଥିବା ବି ଲୋକମାନେ ଅନୁଭବ କରୁ ନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଏଣୁ ଏହି ସରକାର ବିରୋଧରେ ‌ଲୋକଙ୍କ ପାଖରେ ପହଞ୍ଚିବାକୁ ସେ ଆହ୍ବାନ ଦେଇଥିଲେ।

ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ପୂର୍ବତନ ବିଧାୟକ ମୁକେଶ ପାଳ, ଜିଲ୍ଲା ମହିଳା ସଭାପତି ବିଦ୍ୟୁଲତା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ଛାତ୍ର ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ବିଜେପି ସରକାର ବିରୋଧରେ ବର୍ଷିବା ସହ ବିଜେଡିକୁ ପୁଣି ଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ କର୍ମୀମାନେ ଲାଗି ପଡ଼ିବାକୁ କହିଥି‌ଲେ। ଏବେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଲୋକମାନେ ଲମ୍ବା ଲାଇନ୍‌ରେ ଠିଆ ହେବା ଘଟଣାକୁ ସେମାନେ କଡ଼ା ସମାଲୋଚନା କରିବା ସହ ବି‌ଜେପିକୁ ସରକାରକୁ ଜନ ବିରୋଧୀ କହିଥିଲେ। ସେହିପରି ମଣ୍ଡିରେ ଧାନକିଣା ନେଇ ଲାଗି ରହିଥିବା ଅବ୍ୟବସ୍ଥା ତୁରନ୍ତ ଦୂର କରିବାକୁ ଦାବି କରିଥିଲେ। ଲୋକମାନଙ୍କୁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ ଲୋକମାନଙ୍କର ମୌଳିକ ସମସ୍ୟା ଭୁଲି ଯାଇ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ନାହିଁନଥିବା ଟିକସ ନେଇ ଲୋକମାନଙ୍କୁ ଶୋଷଣ କରୁଅଛି । ଏହାକୁ ଆଗାମୀ ଦିନରେ ବିଜୁ ଜନତା ଦଳ ତରଫରୁ ବିରୋଧ କରାଯିବା ସହିତ ଲୋକମାନଙ୍କର ମୌଳିକ ସମସ୍ୟା ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାମନ୍ତ, ‌ଆଶା କୁମାରୀ ସାହୁ, ହେମଲତା ମହାନ୍ତି, ରାମକୃଷ୍ଣ ପ୍ରଧାନ, ରାଜଶ୍ରୀ ସାହୁ, ରୀନାରାଣୀ ନାୟକ, ଶକ୍ତି ପ୍ରସାଦ ପଟ୍ଟନାୟକ, ନିରଞ୍ଜନ ଦେହୁରୀ, ସମସ୍ତ ବିଜେଡି ବ୍ଲକ୍‌ ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ବରିଷ୍ଠ ନେତା, ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବିଜେଡି ନେତା ଓ କର୍ମୀ ବିଜୁ ମଇଦାନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ସଭାଘରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


ଏହି ବୈଠକରେ ଆଭାସୀ ମାଧ୍ୟମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜିଲ୍ଲା କମିଟିକୁ ଅଭିନନ୍ଦନ ଜଣାଇବା ସହ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ନାରୀ ନିର୍ଯ୍ୟାତନା, ଧାନମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ, ଅନୁଗୁଳରେ ବାୟୁ ପ୍ରଦୂଷଣ, ଠପ୍‌ ହୋଇଯାଇଥିବା ଉନ୍ନୟନମୂଳକ କାମ ଠପ୍‌ ହେବା ପ୍ରତିବାଦରେ ଦଳ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ହୋଇଥିଲା। ଆସନ୍ତା ଫେବ୍ରୁଆରି ସୁଦ୍ଧା ଯୁବ, ଛାତ୍ର ଓ ମହିଳା କମିଟି ଗଠନ କରାଯାଇ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବ ବୋଲି ଜିଲ୍ଲା ସଭାପତି ବ୍ରଜ ପ୍ରଧାନ କହିଥିଲେ।

Leave a Reply

Your email address will not be published. Required fields are marked *