ଅନୁଗୋଳ: ଅନୁଗୋଳ ସହର ର ଗୀତାଗ୍ରାମ ଗ୍ରାମ୍ୟ ସମିତି ପକ୍ଷରୁ ସ୍ବର୍ଗତ ନନ୍ଦ କିଶୋର ସାମନ୍ତ ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗତ ୦୮ ତାରିଖ ସନ୍ଧ୍ୟାରେ ଗୀତାଗ୍ରାମ ସ୍ଥିତ ନିଜସ୍ୱ ବାସଗୃହରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇ ଥିଲା । ମୃତ୍ୟୁ ସମୟକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ସାମନ୍ତ ଜଣେ ବିଶିଷ୍ଟ ଶିକ୍ଷାବିତ ଭାବେ ଅନୁଗୁଳ ଜିଲ୍ଲାରେ ତାଙ୍କର ସ୍ୱତନ୍ତ୍ରତା ର ଛାପ ଛାଡ଼ି ଯାଇଛନ୍ତି । ଜଣେ ଅତ୍ୟନ୍ତ ମେଳାପୀ ଏବଂ ହୃଦୟବାନ ମଣିଷ ସହିତ ନୈତିକ ମୂଲ୍ୟବୋଧ ଗୁଣ ଯୋଗୁଁ ସେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଭାଜନ ହୋଇ ପାରିଥିଲେ । ଗୀତାଗ୍ରାମ ଉନ୍ନୟନ ସମିତି ର ପୂର୍ବ ସଭାପତି ଏବଂ ସମ୍ପ୍ରତି ମୁଖ୍ୟ ଉପଦେଷ୍ଟା ଭାବେ ଅନେକ ଲୋକ ହିତକର କାମରେ ତାଙ୍କର ଯଥେଷ୍ଟ ଅବଦାନ, ତାଙ୍କୁ ଗ୍ରାମବାସୀ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥାଏ ।ସାଉଥ ବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କଲାପରେ, ଗୀତାଗ୍ରାମ ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ ।ତାଙ୍କର ବିୟୋଗରେ ସମଗ୍ର ଗୀତାଗ୍ରାମ ଏବଂ ବନ୍ଧୁ ପରିଜନ ମହଲ ରେ ଶୋକର ଲହରୀ ଖେଳିଯାଇଛି ।ସ୍ବର୍ଗତ ଆତ୍ମା ର ସଦଗତି ସହିତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ମହାପଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା ।
ବିଶିଷ୍ଟ ଶିକ୍ଷାବିତ ଙ୍କ ଦେହାନ୍ତ ରେ ଶୋକ



